ଅର୍ଚ୍ଚି ର ହିନ୍ଦୀ ଶିକ୍ଷା📖

ଅର୍ଚ୍ଚିର ପାଦ ତଳେ ଲାଗୁନି ଆଜି । ମାମୁଁ ଆଉ ଆଈ ଆସିଛନ୍ତି ତାଙ୍କ ଘରକୁ।ସପ୍ତାହେ ତଳେ ଅର୍ଚ୍ଚିତାର ପଞ୍ଚମ ଶ୍ରେଣୀ ବାର୍ଷିକ ପରୀକ୍ଷା ସରିଛି। ଅଦ୍ଵୈତ ପ୍ରସାଦ ହାଇ ସ୍କୁଲ୍ ରେ ସେ ଷଷ୍ଠ ଶ୍ରେଣୀ ପଢ଼ିବ। ଏ ବର୍ଷ ସିଲାବସ ରେ କିଛି ବଦଳିବାର ନାହିଁ।ବାପା ତା ପାଇଁ ପୂରା ବହି ସେଟ୍ ଆଣି ଦେଇଛନ୍ତି। ଏଥର ହିନ୍ଦୀ ଅନ୍ତର୍ଭୁକ୍ତ ହେଇଛି, ଆମର ରାଷ୍ଟ୍ର ଭାଷା। ୫୦ ମାର୍କ ର ପରୀକ୍ଷା ବି ହେବ। ଏବେ ଅର୍ଚ୍ଚି ହିନ୍ଦୀ ଶିଖିବ, ପଢ଼ିବ,କହିବ, ଲେଖିବ… ଗୋଟେ ନୂଆ ଖୁସିରେ ମନଟି ତାର ଫାଟି ପଡୁଥାଏ। ହିନ୍ଦୀ ସିନେମା ମାନଙ୍କରେ ଯେମିତି ହିନ୍ଦୀ କହୁଥାନ୍ତି, ସେ ବି ସେମିତି ହିନ୍ଦୀ କହିବ।

ମାମୁଁ ଆଉ ଆଈ ଆସିଛନ୍ତି ତାକୁ ନେଇକି ଯିବା ପାଇଁ। ଆଈ ତାକୁ ହିନ୍ଦୀ ଶିଖେଇବେ। ମାମୁଁଙ୍କର ପୂର୍ଣ୍ଣିମା ଟକିଜ୍ ରୋଡ୍ ରେ ଜଳଖିଆ ହୋଟେଲ ଅଛି।ଜବର୍ ଦସ୍ତ୍ ଚାଲେ। ସିଙ୍ଗଡ଼ା, ବରା,ଆଳୁ ଚପ୍,କଚୋଡ଼ି, ବାଇଗଣି ଛଡ଼ା ମାମୁଁଙ୍କ ହୋଟେଲ୍ ର ଗାଣ୍ଠିଆ ଭାରି ଫେମସ୍। ସେ ଗୋଟେ ପ୍ରକାରର ଖଟାମିଠା ଚଟଣୀ ଟେ ଦିଅନ୍ତି ଗାଣ୍ଠିଆ ସାଙ୍ଗରେ, ଭାରି ସୁଆଦ ଲାଗେ। ଆଉ ତାପରେ ଗ୍ରାହକ ମାନଙ୍କୁ ଚା’ ପରଷା ହୁଏ,ସେଇଟା ପୁଣି କପ୍, ପ୍ଲେଟ୍ ରେ।ମାମୁଁଙ୍କୁ ଫୁରସତ ନାହିଁ।ଦୁଇ ଦିନ ହୋଟେଲ ବନ୍ଦ କରିକି ଆସିଛନ୍ତି।

ଆଉ ଆଈ…
ଗୋଟେ କାଠ ଗୋଲାର ମାଲିକାଣୀ। ଆଈର ଦୁଇ ଜଣ ଅନ୍ତରଙ୍ଗ ସାଙ୍ଗ ଅଛନ୍ତି, ଡେଲି ମାର୍କେଟ ଛକର ଶାରଦା ଆଈ ( ଶାରଦା ଅଗ୍ରୱାଲ) ଆଉ ମେଡିକାଲ ଛକର ଫର୍ଜନା ଆଈ ( ଫର୍ଜନା ନୁର୍)। ପୂରା ଜୀବନ ଦିଆ ଦେଇ ସାଙ୍ଗ।ତିନି ଜଣ ସବୁବେଳେ ହିନ୍ଦୀ ରେ କଥା ହୁଅନ୍ତି।

ଆଉ ଅଜା… ଅର୍ଚ୍ଚି ଯେତେବେଳେ ତୃତୀୟ ପଢ଼ୁଥିଲା, ଅଜା ହାର୍ଟ ଆଟାକ ରେ ଚାଲିଗଲେ। ସେତେବେଳେ ଯାହା ବାପା,ବୋଉ,ଭାଇଙ୍କ ସାଙ୍ଗରେ ମାମୁଁ ଘରକୁ ଯାଇଥିଲା। ତା ପରଠୁ ଆଉ ଯାଇନି,ଏବେ ଗଲେ ଶାରଦା ଆଈ,ଫର୍ଜନା ଆଈ ସମସ୍ତଙ୍କ ସାଙ୍ଗରେ ଦେଖା ହେବ। ସେମାନେ ବି ଅର୍ଚ୍ଚି କୁ କେତେ ଭଲ ପାଆନ୍ତି।

ବୋଉ ତ ଯାଇ ପାରିବନି, ଟିନୁ ଭାଇର ଏନ୍ ଆର୍ ଟି ଏସ୍ ପରୀକ୍ଷା ଅଛି, ତାଛଡ଼ା ବାପାଙ୍କର ଛୁଟି ନାହିଁ।

ଅର୍ଚ୍ଚି ମାମୁଁ ଘରକୁ ଗଲେ ଖୁବ୍ ମସ୍ତି କରିବ।ଗୋପାଳ ମଉସା, ଯିଏ ଆଈର କାଠ ଗୋଲାରେ କାଠ ଚିରନ୍ତି, ସିଏ କାମ ସାରିଲେ ସନ୍ଧ୍ୟାବେଳେ ତାକୁ ସାଇକେଲରେ ବସେଇ ଯୋଉଠିକି ଅର୍ଚ୍ଚି କହିବ, ବୁଲେଇ ନେବେ।

ଜିନା ଆଈ ତାଙ୍କ ବେଳର କେତେ ପାଠ ପଢ଼ିଛନ୍ତି ଯେ ଏତେ ସ୍ମାର୍ଟ… କେତେ ପ୍ରକାର ଭାଷାରେ କଥା କୁହନ୍ତି। ବଡ଼ ବଡ଼ ଟ୍ରକ୍ ମାନଙ୍କରେ ମୋଟା ମୋଟା କାଠଗଣ୍ଡି ସବୁ ଆସି ଗୋଲା ଅଗଣାରେ ଅନ୍ ଲୋଡ୍ ହୁଏ। ଆଈ ସେ ଡ୍ରାଇଭର ମାନଙ୍କ ସାଙ୍ଗେ ପଞ୍ଜାବୀରେ କଥା ହୁଅନ୍ତି,ବଙ୍ଗାଳୀ ରେ କଥା ହୁଅନ୍ତି। ଭ୍ୟାନିଟୀ ବ୍ୟାଗ୍ ଗୋଟେ କାନ୍ଧରେ ଗଳେଇ ଥାଆନ୍ତି।ସେଥିରୁ ମୋଟା ମୋଟା ବଣ୍ତଲରୁ ଧାଏଁ ଧାଏଁ କରି ଟଙ୍କା ଗଣି ସେମାନଙ୍କୁ ଧରେଇ ଦିଅନ୍ତି। ସେମାନେ ଆଈକୁ ସତ୍ ଶ୍ରୀ ଅକାଲ୍…. ସଲାମ୍ ଦିଦି …କହନ୍ତି, ଆଈ ବି ସେମାନଙ୍କୁ ସେମିତି କହନ୍ତି , ସେମାନେ ଖୁସିରେ ହସି ହସି ପୂରା ପେମେଣ୍ଟ ନେଇ ପୁଣି ତାଙ୍କ ଗାଡ଼ିକୁ ବୁଲାନ୍ତି।

ମାମୁଁ ଘର ସାହି ସହ ଆଖ ପାଖ ସାହିର ସବୁ ପରିବାର ଆଈ କାଠ ଗୋଲାର ଗ୍ରାହକ।ବାହାଘର ,ବ୍ରତଘର ଭୋଜି ରେ ବି ଆଈ ପାଖକୁ ଅର୍ଡର୍ ଆସେ। ଗୋପାଳ ମଉସା ଆଉ ଦୁଇ ଜଣ ମଉସା କାଠ ଚିରନ୍ତି।ଜଣେ ଟ୍ରଲି ରିକ୍ସା ବାଲା କାଠ ଲୋଡ୍ କରିକି ଘର ଘର ଦେଇ ଆସେ।

ଅର୍ଚ୍ଚି କୁ ଖାଲି ଟାଇମ୍ ରେ ସେ କାଠ ତଉଲା ତରାଜୁରେ ଗୋଟେ ପଟେ ଦୁଇଟା କୋଡ଼ିଏ କେଜି ବଟକରା ଥାଇକି ଆଉ ଗୋଟେ ପଟେ ପାଠ ବହି ଧରି ଝୁଲି ଝୁଲି ବଡ଼ ପାଟିରେ ପଢ଼ିବାରେ ଭାରି ମଜା ଲାଗେ।

ଆଈ, ମାମୁଁ, ଅର୍ଚ୍ଚି ବସ୍ ରେ ବସିଲେ।ସକାଳ ଛଅଟାରେ ବସିଲେ। ଦି’ ପହରେ ଦୁଇଟା ରେ ପହଞ୍ଚିଲେ। ଗୋପାଳ ମାଉସୀ ଖାଇବାଟା ଆଣି ଦେଇଥିଲେ। ଅର୍ଚ୍ଚି ତ ଥକି ଯାଇଥିଲା,ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ପଡ଼ିଲା।
ସନ୍ଧ୍ୟା ବେଳେ ଘର ଆଖପାଖ ବୁଲି ଆସିଲା। ଗୋଲାକୁ ଗଲା। ଆଈ ଟଙ୍କା ଗଣୁଥିଲେ। ଶହେ ଟଙ୍କା ଅଲଗା,ପଚାଶ ଟଙ୍କା ଅଲଗା,କୋଡ଼ିଏ, ଦଶ ଟଙ୍କା ଅଲଗା ଅଲଗା ବିଡ଼ା କୁ ଟଙ୍କା ବନ୍ଧା ରବର୍ ରେ ବାନ୍ଧୁଥିଲେ। ଅର୍ଚ୍ଚି ତାର ସେଇ ତରାଜୁରେ ବସି ଝୁଲି ଝୁଲି ଆଈ କୁ ଲକ୍ଷ୍ୟ କରୁଥିଲା। ଇସ୍… ଜିନା ଆଈ ସତରେ କେତେ ଧନୀ ଆଉ ପାଠୋଇ ବି…ସେ ସବୁ ପ୍ରକାର କାମ କରିପାରନ୍ତି।ଏତେ ଗୁଡ଼ା ଟଙ୍କା ବିଡ଼ା ନେଇକି ସେ କାଲି ବ୍ୟାଙ୍କ୍ ବି ଯିବେ, ଜମା କରିବା ପାଇଁ।

ପ୍ରଥମ ଦିନରୁ ହିଁ ଅର୍ଚ୍ଚି ର ହିନ୍ଦୀ ପଢ଼ା ଆରମ୍ଭ ହେଲା।

ଦୁଇ ଆଈ ନାତୁଣୀ ଦୁହେଁ ଗୋଡ଼ ହାତ ଧୋଇ ଆସି ପୂଜା ଘରେ ପ୍ରାର୍ଥନା କରିବା ପାଇଁ ବସିଲେ।
“ଏ ମାଲିକ୍ ତେରେ ବନ୍ଦେ ହମ୍..……… ତାକି ହଁସତେ ହୁଏ ନିକଲେ ଦମ୍”
ମୁଣ୍ଡିଆ ମାରି ଯାଇ ଖଟ ଉପରେ ଚକା ମାଡ଼ି ସାମନା,ସାମନି ହୋଇ ବସିଲେ।

ଆଈ – बेटा,अपनी किताब को शिर में लगाके फिर नीचे रखो।

ହଁ, ଆଈ….

नहीं बेटा, ऐसे बोलो….जी नानी..

ଅର୍ଚ୍ଚି ଜୀବନରେ ପ୍ରଥମ ହିନ୍ଦୀ କହିଲା,,, “जी नानी…”

ପାଠ ପଢ଼ା ଆରମ୍ଭ …ବର୍ଣ୍ଣବୋଧ ରୁ
अ से अनार
आ से आम
छोटी इ से इमली
बड़ी ई से ईख …….

କି ବଢ଼ିଆ ଲାଗୁଛି, ହିନ୍ଦୀ ପଢିବାକୁ …

ଏତିକି ବେଳେ ବାରଣ୍ଡାରୁ ଚିଁ ଚୁଁ ଶବ୍ଦରେ କିଛି କିଛି ଶୁଭିଲା, ଯାହା କି ଆଈ ବୁଝି ପାରିଲେ।ଆଉ ଅର୍ଚ୍ଚିକୁ କହିଲେ” बेटा, मुझे रूप ( ଆଈଙ୍କ ଶୁଆର ନାଁ) बुला रहा है, बोल रहा है की … मां,मां , खाने को दो, भूख लगी,भूख लगी…

ଆଈ…. ମିଟୁ ବି ହିନ୍ଦୀରେ କଥା କହୁଛି…!!!!!.

हां बेटा, तुम्हारी शारदा नानी और फर्जना नानी भी उस से हिंदी में बात करते हैं। और शायद रूप को हिंदी बोलना ज्यादा पसंद है।

ହିନ୍ଦୀ ପଢ଼ା ପ୍ରକ୍ରିୟା ଜାରି…

समारू नाम का एक किसान था। वह खेत में आलु, परबल, कटहल, कांदा,लहसुन , और तरह तरह की सब्जियां….उगाता था…….

ତିରିଶ ଦିନ ଭିତରେ ଅର୍ଚ୍ଚିତା ହିନ୍ଦୀରେ ପୂରା ହୁସିଆର ହେଇଗଲା। ସେ ଶାରଦା ଆଈ,ଫର୍ଜନା ଆଈ, ସାହି ପଡିଶା,ଗୋପାଳ ମଉସା,ସମସ୍ତଙ୍କ ସାଙ୍ଗରେ ଶୁଦ୍ଧ ଭାବେ ହିନ୍ଦୀରେ କଥା କହି ପାରିଲା।
ମିଟୁ ସାଙ୍ଗରେ ହିନ୍ଦୀରେ କଥା ହେଇ ହେଇ ତାର ସାଙ୍ଗ ହେଇଗଲା।

ମିଟୁ ( ରୂପ) ମାମୁଁ ଘରର ଜଣେ ବିଶେଷ ମେମ୍ବର ।
ସେ ଘରର କଲିଙ୍ଗ ବେଲ୍। ବାହାରେ କିଏ କବାଟ ଠକ୍ ଠକ୍ କଲେ ସେ ସବୁଠୁ ଆଗ ଜାଣି ପାରୁଥିଲା। ଆଉ କହୁ ଥିଲା ” कौन है…कौन है…”
ଯେମିତିକି ” ଟିଂ ଟଙ୍ଗ୍…ଟିଙ୍ଗ୍ ଟଙ୍ଗ୍…”

ଦିନେ ଭୋର୍ ରୁ ଅର୍ଚ୍ଚିର ନିଦ ଭାଙ୍ଗିଗଲା। ଆଈ କାନ୍ଦୁଛନ୍ତି ଜୋର୍ ଜୋର୍ ରେ ଗୀତ ଗାଇ ଗାଇ….

“ମୋ ଜୀବନ ଧନରେ, ଗଳା ରତନ ରେ ରୂପ…
ତୁ କାହିଁ ଚାଲିଗଲୁ ଛାଡ଼ିକି ମତେ ରେ ରୂପ…
ମୁଁ ସକାଳୁ ଉଠିକି ଦେଖିବି କାହାର ମୁଖରେ… ମୋ ରୂପ….
ତତେ କୋଉଠି ଖୋଜିବି ,କେବେ ନ ପାଇବି ରେ…. ରୂପ…….

ଆଈ ବହୁତ କାନ୍ଦୁଥିଲେ…
ତଳେ ମିଟୁର ପଞ୍ଜୁରୀଟା ଖୋଲା ହେଇକି ଥିଲା,ମିଟୁର ପର କେତେଟା ବିଛାଡ଼ି ହେଇକି ପଡ଼ିଥିଲା।ବେକ ମୋଡ଼ି ହେଇ ମିଟୁର ଦେହଟା ପଞ୍ଜୁରୀ ଭିତରେ ଆଧା ଆଉ ବାହାରେ ଅଧା ଥାଇ କି ରକ୍ତର ଧାରଟେ ବୋହିକି ଶୁଖି ଯାଇ ଥିଲା।
ମାମୁଁ ଆଈକୁ ବୁଝାଉ ଥିଲେ।

ଅର୍ଚ୍ଚିକୁ ବହୁତ୍ ଦୁଃଖ ଲାଗିଲା।ଆଈକୁ କାନ୍ଦିବାର ଦେଖି ତାକୁ ଆହୁରି କଷ୍ଟ ହେଲା।ସେ ବି କାନ୍ଦି କାନ୍ଦି ଆଈ ପାଖକୁ ଗଲା….
କହିଲା ” नानी , नानी, हिंदी में रोओ ना…. मुझे भी सीखना है……….….”

   🙏
 सचला

ଅଢେ଼ଇ ଶ’ ମଟର

ବୋଉ ଲିକୁକୁ ଦୋକାନ ପଠେଇଲା। ଜିରା ଆଣିବା ପାଇଁ। ମସଲା ବାଟିବା ପାଇଁ ଜିରା ସରି ଯାଇଥିଲା। ମଟନ ତରକାରୀ ହେବ। ମାନି ଅପା ପାଇଁ ବର ଘର ଦେଖି ଆସୁଛନ୍ତି, ପୁଅର ବାପା ମାଆ ଆଉ ମାମୁଁ ମାଇଁ।

ଲିକୁ ଦୋକାନକୁ ଗଲା।

“Uncle, ଜିରା ଶହେ ଗ୍ରାମ ପ୍ୟାକେଟ ଗୋଟେ ଦିଅ।”

ଏତିକି ବେଳେ ଦୋକାନ ସାମ୍ନା ରେ ଗୋଟେ କଳା କାର୍ ଅଟକିଲା। ଜଣେ ମହିଳା ଓହ୍ଲେଇ ଦୋକାନକୁ ଆସି ଠିଆ ହେଲେ।
ଦୋକାନୀ ପଚାରିଲେ ” ମ୍ୟାଡାମ.. କଣ ନେବେ..?”

“ମଟର …ଅଢେ଼ଇ ଶ’ …”

“ବାବୁରେ କାବୁଲା.. ମ୍ୟାଡାମ ଙ୍କୁ ମଟର ଦେଲୁ ଅଢେ଼ଇ ଶ’।”

ଆଜ୍ଞା…

କାବୁଲା ଲିକୁକୁ ଟିକେ ଠିଆ କରେଇ ଦେଇ ଏପଟେ ମଟର ପାଏ ଓଜନ କଲା।

ଲିକୁ ମହିଳାଙ୍କ ଆଡ଼େ ଦେଖି ପଚାରିଲା ” ଆଣ୍ଟି,ଆପଣଙ୍କର ଆଜି ମଟର ତରକାରୀ ହେବ?”

“ହଁ ବେଟା.…”

“ଆଜି ଆମର ମଟନ ତରକାରୀ ହେବ। ମାନି ଅପାକୁ ବାହାଘର ପାଇଁ ଦେଖିବାକୁ ଆସୁଛନ୍ତି ତ, ସେଥିପାଇଁ।”

“ଆଚ୍ଛା ଆଚ୍ଛା, so sweet..
God bless you , God bless your ମାନି ଅପା ..”

ଟିକେ ହସି ମହିଳା ଜଣକ ଚାଲିଗଲେ।

ବୋଉ କେତେ ପ୍ରକାର ରାନ୍ଧୁଥାଏ।ମାନି ଅପାକୁ ବିଥି ମାଉସୀ ସଜେଇ ଦଉଥିଲା।ମାନି ଅପାର ମୁହଁ କାନ୍ଦ କାନ୍ଦ ଦିଶୁଥିଲା।

ଚାରି ଜଣ ଅତିଥି ଘରକୁ ଆସିଲେ।
ବିଥି ମାଉସୀ ତାଙ୍କୁ ଗୋଡ଼ ଧୋଇବା ପାଇଁ କଂସା ଢ଼ାଳରେ ପାଣି ଦେଲା।
ସେମାନେ ଗୋଡ଼ ଧୋଇ ଆସି ସୋଫାରେ ବସିଲେ।
ବାପା ବୋଉ ଆସି ତାଙ୍କୁ ଜୁହାର ହେଲେ , ସାମ୍ନା ଚଉକିରେ ବସିଲେ।ବୋଉ ଟିକେ କଥା ହେଇକି ରୋଷେଇ ଘରକୁ ପୁଣି ଚାଲିଗଲା।

ଦୁଇ uncle ଙ୍କ ସାଙ୍ଗେ ବାପା ବହୁତ୍ କଥା ହେଉଥାନ୍ତି, ଅଫିସ୍, transfer ଆଉ କଣ କଣ .. ଏମାନେ ସମସ୍ତେ କଣ ଆଗରୁ ଚିହ୍ନା ଜଣା ନା ଏଇ ପନ୍ଦର ମିନିଟ୍ ରେ ସାଙ୍ଗ ହେଇଗଲେ।

ବିଥି ମାଉସୀ ପିଇବା ପାଣି ଆଣି ଥୋଇଲା।ଆଉ ଜଳଖିଆ ଆଣିବା ପାଇଁ ରୋଷେଇ ଘରକୁ ଗଲା।
ଆଣ୍ଟି ଦୁଇ ଜଣ ଧୀରେ ଧୀରେ କଣ କଣ କଥା ହଉଥାନ୍ତି ତାଙ୍କର ତାଙ୍କର ଫୁସୁର ଫାସୁର୍ ହେଇକି।
ସେମାନେ ବୋଧେ ମାନି ଅପାକୁ କଣ କଣ ପ୍ରଶ୍ନ ପଚାରିବେ,ଏକ ଦୁଇ ତିନି କରିକି ନମ୍ବର କରୁଥିଲେ।

ହଁ ତ ସତ କଥା।
ସେମାନେ ବିଥି ମାଉସୀ କୁ କହିଲେ” ଝିଅକୁ ଡାକ”

ବୋଉ ରୋଷେଇ ଘରୁ ଝାଳ ପୋଛି ପୋଛି ତରବର ହେଇ ମାନି ଅପା ଆଉ ବିଥି ମାଉସୀ ସାଙ୍ଗରେ ଜଏନ ହେଲା।

ମାନି ଅପା ତଳକୁ ମୁହଁ ପୋତି ତା ଡ୍ରେସର ଓଢ଼ଣି ଖସୁ ନ ଥିବା ସତ୍ତ୍ବେ ଖାଲି ଖାଲିରେ ବିଚରା ଓଢ଼ଣିକୁ କାନ୍ଧ ଉପରକୁ ଟେକି ଟେକି ଆସି ଆଣ୍ଟି ମାନଙ୍କର ଠିକ୍ ସାମ୍ନାରେ ବସିଲା।

ତାପରେ ତ ଖାଲି ତାକୁ କଣ କଣ ପଚାରି ଆଣିଲେ।
ବିଥି ମାଉସୀ ପୂରା ସାଙ୍ଗରେ ସାଙ୍ଗରେ ଥାଏ, ମାନି ଅପା ନର୍ଭସ ହେଲେ ତାକୁ ସମ୍ଭାଳିବା ପାଇଁ।

“ଝିଅ, ତୁମ ନାଁ କଣ ?”

“ମନୋରମା..”

“କଣ ପଢ଼ା ପଢ଼ି କରିଛ?”

“ପି. ଜି. , ଲାଇଫ ସାଇନ୍ସ ରେ।”
ଆଚ୍ଛା.……ଆଉ କଣ କଣ ..ଆଉ କେତେ କଣ.…
ବୋଉକୁ ମାନି ଅପାର ଜାତକ ବିଷୟରେ ପଚାରିଲେ।

ବୋଉ କହିଲା ” ଯଦି ପୁଅ ଆସିଥାନ୍ତେ, ତାହେଲେ ପୁଅ ଝିଅ ଦେଖା ଦେଖି ହେଇ ଯାଇଥାନ୍ତେ , ଭଲ ହେଇଥାନ୍ତା।”

“ହଁ ପରା,ଆମେ ବି ସେଇଆ ଭାବୁଥିଲୁ।ହେଲେ ତନ୍ମୟର ଆଜି ରବିବାର ହେଲେ ବି କାମ ଅଛି ଦିନ ବେଳା ,ଉପର ବେଳା ଫ୍ରି ଥିଲେ ବି ଦିନ ବେଳର କାମ ପାଇଁ ସେ ଆସି ପାରିଲାନି।ଏଇ ପ୍ରୋଗ୍ରାମ ପାଇଁ କଲିକତା ରୁ ଆସିବା ପାଇଁ ନିହାତି ଦୁଇ ଦିନ ଦରକାର। ଛୁଟି ମିଳିଲାନି ତାକୁ।”

ଗଲା ମାସ ବୋଉ ଯୋଉ ଯାଇଥିଲା ମାନି ଅପାର ଜାତକ ନେଇକି ଦେଖେଇଥିଲା ସୁନ୍ଦରମଣି ବାବାଙ୍କ କତିରେ, ସେ କହିଥିଲେ ଏଇ ମାସ ଶୁକ୍ଳ ପକ୍ଷରେ ଯୋଉ ପ୍ରସ୍ତାବ ଆସିବ, ମାନି ଅପାର ବାହାଘର ସେଇଠି ଠିକ୍ ହେଇଯିବ।

ବାପା ବୋଉ ବିଥି ମାଉସୀ ଆଉ ଲିକୁ ସବୁ ନିଶ୍ଚିତ କି ଏଇଠି ଠିକ୍ ହେଇଯିବ।

ଆଣ୍ଟି ଦି’ ଜଣ ଘର ଭିତର, ଛାତ ଉପର,ବାରି ଆଡ଼ ସବୁ ଆଡୁ ଘେରାଏ ବୁଲି ଆସିଲେ।

ଲିକୁ କୁ କାହିଁକି ସେଇ ଅଢେ଼ଇ ଶ’ ମଟର ଆଣ୍ଟି ମନେ ପଡ଼ିଗଲେ।
God bless your ମାନି ଅପା .. କାହିଁକି କହିଲେ,ସେ କଣ ଚିହ୍ନିଛନ୍ତି ଅପାକୁ?

ଆରେ… ହଁ.. ଲିକୁ ତ ନିଜେ କହିଲା ପୁଅ ଘର ଦେଖି ଆସୁଛନ୍ତି ସେଥିପାଇଁ ଘରେ ମଟନ ହଉଛି ବୋଲି।ସେଥି ପାଇଁ ସେ ଆଣ୍ଟି ସେମିତି କହିଥିବେ।

ବୋଉ ସିଆଡେ ବଢ଼ା ବଢ଼ି କରୁଛି।
ସମସ୍ତେ ଖାଇ ସାରିଲେ, ମାନି ଅପା ଆଉ ବିଥି ମାଉସୀ ପାଇଁ ବାଢ଼ି ସରିଲା ପରେ ଲାଷ୍ଟ୍ ରେ ବୋଉ ଖାଇବ।

ଲିକୁ ବୋଉ ପାଖକୁ ଯାଇ ଅଳି କଲା କି ମାନି ଅପାର ତ ବାହାଘର ଏଇଠି ଠିକ୍ ହେବ।
ତନ୍ମୟ ଜିଜୁଙ୍କ ସାଙ୍ଗରେ video calling କରି ତାଙ୍କୁ ଦେଖିବା ଆଉ କଥା ହେବ । ବୋଉ କହିଲା ହଉ ଯା, uncle ଙ୍କୁ କହ ।

ଲିକୁ uncle ଙ୍କୁ କହିଲା ତନ୍ମୟଙ୍କ ସାଙ୍ଗେ ଭିଡିଓ calling ପାଇଁ।
Connection ହେଇ ପାରିଲାନି।ଫୋନ ମଧ୍ୟ ସ୍ଵିଚ ଅଫ୍ ଆସିଲା। ତାଙ୍କ ଘରର ଚାରିଟା ଫୋନ ରେ call କରାଗଲା। କୋଉ ଥିରେ ଲାଗିଲାନି।

ତାପରେ ବାପାଙ୍କ ଫୋନ୍ ରେ କରାଗଲା,ସେ ଉଠେଇଲେ।
ଓଃ .. ତାଙ୍କ ଘରର ଫୋନ ଉଠେଇଲେନି, କିନ୍ତୁ ଅଜଣା ନମ୍ବର ଉଠେଇଲେ।

ହଉ.… ବେଦୀ ରେ ଏମିତି ଜୋର ରେ ଶଳାବିଧା ପଡ଼ିବ ଯେ, ଉଠିବା ମୁସ୍କିଲ ହେଇଯିବ।

ହଉ, ଭିଡିଓ calling connect ହେଲା।ତନ୍ମୟ ସାଙ୍ଗରେ କାହାର କିଛି କଥା ହେବାର ନ ଥିଲା। ସୁନ୍ଦରମଣି ବାବା ତ ଭବିଷ୍ୟ ବାଣୀ ରେ ଶାଗୁଆ ପତାକା ଦେଖେଇ ଦେଇଥିଲେ।

ଖାଲି ଲିକୁ ଟା ଶଳାବିଧା ପକେଇବା ଆଗରୁ ଜିଜୁର କେତେ ଶକ୍ତି ଅଛି ଜାଣିବା ପାଇଁ ଇଚ୍ଛା କଲା, ଭିଡିଓ calling ରୁ ଫିଜିକ୍ ଫିଗର୍ ଦେଖି ସତେ ଯେମତି ସେ ବିଧା ମାରିଲା ବେଳକୁ consider କରିବ।

ହଠାତ୍…

“ଜିଜ୍ଜୁ, ତୁମ ପଛପଟେ କିଏ ଠିଆ ହୋଇଛନ୍ତି,ତାଙ୍କ ଗୋରା ଗୋରା ଦୁଇ ହାତ ତୁମ କାନ୍ଧ ଉପରେ ରଖିଛନ୍ତି, ବ୍ଲୁ ରଙ୍ଗର ବଳା ପିନ୍ଧିଛନ୍ତି, ଦୁଇଟା ଆଙ୍ଗୁଠିରେ ଦୁଇଟା ମୁଦି ପିନ୍ଧିଛନ୍ତି।ଲମ୍ବା ଲମ୍ବା ନଖରେ ବ୍ଲୁ ନେଲ୍ ପଲିଶ ଲଗେଇଛନ୍ତି। କିଏ ଯେ।

ବୋଉ,ବାପା, ମାନି ଅପା, ବିଥି ମାଉସୀ…..ଲିକୁ ସମସ୍ତଙ୍କୁ ଦି’ ଦି’ ଥର ଡାକି ପକେଇଲା।

ଭିଡିଓ disconnected ହେଇଗଲା।

Uncle ଆଉ ଥରେ ଫୋନ ଲଗେଇଲେ।

“ଆରେ ବାପା ତନ୍ମୟ … କଣ ହେଇଛି, ଲିକୁ କଣ କହୁଛି, କଣ ଦେଖିଲା ସିଏ…”

କିଛି ସମୟ ନିରବ…

“ବାପା ,ମୁଁ ତୁମକୁ ଏଇଠି କିଛି କହି ପାରୁନି”

Uncle ଫୋନ୍ କାଟି ଦେଲେ ଆଉ ବାପାଙ୍କ ଆଡ଼କୁ ଅସହାୟ ହେଇକି ଅନେଇଲେ।

ଆଣ୍ଟି ଦୁଇ ଜଣ ଦୁହିଁଙ୍କ ମୁହଁ ଚାହାଁ ଚାହିଁ ହେଉଥିଲେ, ଫୁସୁରୁ ଫାସୁର୍ ହେବାକୁ ଚାହୁଁ ଥିଲେ କି ଚାହୁଁ ନ ଥିଲେ କିଛି ଜଣା ପଡୁ ନ ଥିଲା।

ବିଥି ମାଉସୀ ଜୋର୍ ଜୋର୍ ରେ ନଖରେ ତା ମୁଣ୍ଡକୁ ରାମ୍ପୁ ଥିଲା।

ବୋଉର ଆଖିରୁ ମୋଟା ଲୁହର ଧାର ଗଡୁ ଥିଲା।

ଲିକୁ କୁ ବିନା ଶଳା ହେଇକି ତନ୍ମୟ ପିଠିରେ ଦୁମ୍ ଦାମ୍ ଧୁସ୍ ଧାସ୍ ବିଧା ପକେଇବାକୁ ଇଚ୍ଛା ହଉଥିଲା।

ମାନି ଅପା ତଥାପି ଡ୍ରେସିଂ ଟେବୁଲ ସାମ୍ନା ରେ ବସି ଥାଏ।

କେହି ସାହସ କରୁ ନ ଥାଆନ୍ତି ତାକୁ ସାମ୍ନା କରିବାକୁ।

ଲିକୁ ମାନି ଅପା ପାଖକୁ ଗଲା।ଯେମିତି ତା ମୁହଁକୁ ଚାହିଁଲା, ମାନି ଅପା ଫିକ୍ କିନା ହସି ଦେଲା।

ଲିକୁ କହିଲା ” ମାନି ଅପା, ଆଜି ଅଢ଼େଇ ଶ’ ମଟର ଆଣ୍ଟି ମତେ ତୋ ପାଇଁ କହିଥିଲେ ….. God bless your ମାନି ଅପା….”

   🙏
ସଚଳା

ଶୁଆ ଓ ପେନସନ୍

ବୀରେନ୍ଦ୍ରକୁ ଇଚ୍ଛା ହେଉଥିଲା କି ସେ ଶୁଆ ବାବା ଜ୍ୟୋତିଷଟା, ଯଦି କୋଉଠି ବି ମିଳି ଯାଆନ୍ତା.. ତ,ତାକୁ ନିଶ୍ଚିତ ନିସ୍ତୁକ ଛେଚି ପକାନ୍ତା ଲହୁଲୁହାଣ କରିକି।

ମୁକ୍ତ ଆକାଶରେ ଉଡୁଥିବା ଗୋଟିଏ ସ୍ଵାଧୀନ ପକ୍ଷୀକୁ ଆଣି ପଞ୍ଜୁରୀ ଭିତରେ ବନ୍ଦୀ ବନେଇ ତାର ଅସହାୟତାକୁ ନିଜର ଦୈନଦିନ ଗୁଜୁରାଣ ମେଣ୍ଟାଇବା ନିମନ୍ତେ ବ୍ୟବହାର କରିବା କେତେ ଦୂର ସମୀଚୀନ….

ବିଚରା ଶୁଆ…

କଣ ହେଇଥିଲା ଠିକ୍ ସପ୍ତାହେ ତଳେ…

BLS ୧୦୮ ଆମ୍ବୁଲାନ୍ସ ବୀରେନ୍ଦ୍ର ଘର ଆଗରେ ଅଟକିଲା।


ଆଟେଣ୍ଡାଣ୍ଟ୍ ଜଣେ ଷ୍ଟ୍ରେଚର୍ ଧରି ଗାଡିରୁ ଓହ୍ଲେଇ ପଡ଼ିଲା। ଗାଡ଼ି ଆଗକୁ ଯାଇ ଗାଆଁ ମଝି ଜଗନ୍ନାଥ ମନ୍ଦିରକୁ ଗୋଲେଇ ମାରି ପୁଣି ଆସି ଘର ଆଗରେ ଅଟକିଲା। ଅର୍ଦ୍ଧଚେତନ ଅବସ୍ଥାରେ ଥିଲା ବୋଉ। ତାକୁ ଷ୍ଟ୍ରେଚର୍ ରେ ଧରି ବୀରେନ୍ଦ୍ର ଆଉ ଆଟେଣ୍ଡାଣ୍ଟ୍ ଗାଡ଼ି ଭିତରକୁ ଉଠିଗଲେ।ପଛେ ପଛେ ବୀରେନ୍ଦ୍ରର ସ୍ତ୍ରୀ ରଜନୀ, ବ୍ୟାଗ୍ ଟେରେ କିଛି ଜିନିଷ ପତ୍ର ଧରି ଚଢ଼ିଲା।ସାଇରନ୍ ମାରି ମାରି ଆମ୍ବୁଲାନ୍ସ ମେଡିକାଲ କଲେଜ ହସ୍ପିଟାଲ୍ ରେ ପହଞ୍ଚିଲା।ଆଗ କାଜୁଆଲ୍ଟି ରେ, ମେଡ଼ିସିନ୍ ୱାର୍ଡ କୁ ନିଆ ହେଲା।ବୋଉ ଖନେଇ ଖନେଇ କିଛି କହିବାକୁ ଚେଷ୍ଟା କରୁଥିଲା।କିଛି ବୁଝି ହଉ ନ ଥିଲା।ବାଆଁ ପଟ ହାତ ଗୋଡ଼ ପଡ଼ି ଯାଇ ଥିଲା। କିଛି ସମୟ ପରେ ସେ ଚେତା ଶୂନ୍ୟ ହୋଇ ଯାଇଥିଲା। ତାକୁ ଆଇସିୟୁ ଦରକାର ପଡୁଥିଲା।କିନ୍ତୁ ଆଇସିୟୁ ଖାଲି ନ ଥିବାରୁ ତାକୁ ୱାର୍ଡ ରେ ରଖିବାକୁ ପଡ଼ିଥିଲା।

ଦୁଇ ଦିନ ପରେ…

ପ୍ରଫେସର ତାଙ୍କ ଦଳ ଧରି ସବୁ ଦିନ ପରି ରାଉଣ୍ଡ ରେ ଆସିଲେ।ବୀରେନ୍ଦ୍ର ୱାର୍ଡ ବାହାରେ ଠିଆ ହୋଇ ଲକ୍ଷ୍ୟ କରୁଥିଲା,ବୋଉକୁ କେମିତି ଚେକ୍ ଚାକ୍ କରୁଛନ୍ତି ଆଉ ତାକୁ କଣ କହିବା ପାଇଁ କାଳେ ଡାକିବେ ବୋଲି।
କଣ କଣ ଇଞ୍ଜେକ୍ସନ,
ଔଷଧ ଚାଲିବ,କଣ ଟେଷ୍ଟ୍ ସବୁ ହେବ,ଜୁନିଅର ଡ଼ାକ୍ତର ମାନଙ୍କୁ କହିଦେଇ ପ୍ରଫେସର ପାଖ ବେଡ୍ କୁ ଆଗେଇଲେ।

ରଜନୀ ଗାମୁଛା ଖଣ୍ଡେ ଓଦା କରି ଆଣି ଶାଶୁଙ୍କୁ ପୋଛା ପୋଛି କରିଦେଲା।
ଦୁଇ ପିସ୍ ପାଉଁରୁଟି ଆଉ କଦଳୀ ଦୁଇଟା ଖାଇଦେଇ ପାଖରେ ଜଗି ବସିଲା।ମନ ଭିତରେ ଏଇ ଚିନ୍ତା ବି ଘାରୁଥିଲା କି ଘରେ ପିଲା ଦି’ ଟା କଣ କରୁଥିବେ , ନଣନ୍ଦଟା କେମିତି କରୁଥିବ…

ବୀରେନ୍ଦ୍ର ବେଡ୍ ପାଖ ପ୍ଲଗ୍ ପଏଣ୍ଟରେ ମୋବାଇଲ୍ ଟାକୁ ଚାର୍ଜ ବସେଇ ଦେଇ କଣ ଟିକେ ଜଳଖିଆ କରିବା ପାଇଁ ବାହାରକୁ ବାହାରି ଗଲା।

ମନଟା ତାର ଭାରି ଭାରି ଲାଗୁଛି। ବାପା ଯେତେବେଳେ କୋଭିଡ୍ ରେ ଚାଲିଗଲେ ,ତାଙ୍କୁ ଶେଷ ସମ୍ମାନ ଦେଇ ପାରିବାର କର୍ତ୍ତବ୍ୟ ଓ ଅଧିକାରକୁ ଭାଗ୍ୟ ତା ଠାରୁ ଛଡ଼େଇ ନେଇଥିଲା।
ବାପା ବ୍ଲକ ଅଫିସ୍ ରେ କାମ କରୁଥିଲେ।ଅତ୍ୟନ୍ତ କର୍ମଠ,ସଚ୍ଚୋଟ l ବଡ଼ ଅଫିସରଙ୍କୁ କିଛି ବି କୁହା ବୋଲା କରିପାରିଲେନି, ପୁଅଟାକୁ ଛୋଟ ମୋଟ ଚାକିରୀରେ ଲଗେଇ ଦେବା ପାଇଁ।ଆଉ …ବୀରେନ୍ଦ୍ର ଦ୍ଵାରା କୋଉ ପାଠ ଶାଠ ବି ହଉଥିଲା ଯେ ସେ ଅନ୍ୟ ଆବେଦନକାରୀ ପ୍ରାର୍ଥୀ ମାନଙ୍କ ପରି ଡିଗ୍ରୀ ସାର୍ଟିଫିକେଟ୍ ଦାଖଲ କରି ପାରିଥାନ୍ତା।

ବୋଉ ନାଁ ରେ ପେନସନ୍ କରେଇବା ପାଇଁ ତାକୁ ପାଞ୍ଚ ମାସ ସମୟ ଲାଗିଯାଇଥିଲା।
ଚାଷରୁ ଯାହା ଆଦାୟ ହୁଏ , ଏଇ ମହରଗିଆ ପରିସ୍ଥିତିରେ ଛଅ ପ୍ରାଣୀ କୁଟୁମ୍ବଙ୍କ ତେଲ ଲୁଣର ସଂସାରକୁ ଟାଣିବା ପାଇଁ ଫି ଦିନିଆ କସରତ କରିବାକୁ ପଡ଼େ।

ଆଉ ଭାଗ୍ୟଲକ୍ଷ୍ମୀ, ଗେଲ ବସରର ଭଉଣୀ ତାର। ଦଶ ବର୍ଷ ସାନ ତା ଠୁ। ବୋଉ କହେ କି ସେ ଡାକ୍ତରଖାନାରେ ଜନ୍ମ ହେଇଥିଲା ଭଲରେ ଭଲରେ। ଜନ୍ମ ହେଲା ମାତ୍ରେ କାନ୍ଦି ବି ଥିଲା ।କିନ୍ତୁ ଧିରେ ଧିରେ ଜଣା ପଡିଲା କି ସେ ଶୁଣି ପାରୁନି, ଆଉ ଟିକେ ବଡ଼ ହେଲା ପରେ କଥା କହିବା ସମୟ ଯେତେବେଳେ ଆସିଲା,ସେ କଥା କହି ପାରିଲାନି, ଆଗକୁ ବି ସେ କଥା କହି ପାରିଲାନି।ବାପା ତାକୁ ସ୍ପେଶାଲ୍ ସ୍କୁଲ୍ ରେ ନାଁ ଲେଖେଇ ଦେଇଥିଲେ।ସେ ହଷ୍ଟେଲ ରେ ରହୁଥିଲା। ଥରେ ମୁହଁ ସଞ୍ଜ ବେଳକୁ ବାରଣ୍ଡାରେ ଚାଲିଲା ବେଳେ ସାଇଡ୍ ଆଡ଼େ ଦେଖି ନ ପାରି ପଡ଼ି ଗଲା।


ଆଖି ପରୀକ୍ଷା କରିବା ପାଇଁ ବାପା ତାକୁ ବଡ଼ ଡ଼ାକ୍ତରଖାନାକୁ ନେଇଗଲେ ।ଡାକ୍ତର କେତେ ପ୍ରଶ୍ନ ପଚାରିଥିଲେ..ତାର ଅଜା ଆଈ,ଜେଜେ ବାପା ଜେଜେ ମାଆ, କାହାର ଏମିତି ଅସୁବିଧା ଥିଲା କି, ଘରେ ଆଉ କାହାର ଏମିତି ଆଖି ଅସୁବିଧା ଅଛି କି, ଆମ ଘରେ ବାପା ବୋଉ ଆଗରୁ ରକ୍ତ ସମ୍ପର୍କୀୟ କି… ଏମିତି କେତେ ପ୍ରଶ୍ନ। ସବୁ ପରୀକ୍ଷା ପତ୍ର କଲା ପରେ ଡାକ୍ତର କହିଲେ କି ଭାଗ୍ୟଲକ୍ଷ୍ମୀର ଆଖିରେ Retinitis Pigmentosa ରୋଗ ଅଛି, ଏହା ଜନ୍ମଗତ ଏବଂ ଏପର୍ଯ୍ୟନ୍ତ କିଛି ସଫଳ ଚିକିତ୍ସା ତା ପାଇଁ ବାହାରି ନାହିଁ।ସେଥିରେ ଅନ୍ଧାରକଣା ଲକ୍ଷଣ ପ୍ରଥମେ ରୋଗୀ ଅନୁଭବ କରେ।ତାପରେ ଧୀରେ ଧୀରେ ତାର ପାର୍ଶ୍ଵ ଦୃଷ୍ଟି ଚାଲିଯାଏ। ସେଥିପାଇଁ ସେଦିନ ଭାଗ୍ୟଲକ୍ଷ୍ମୀ ଅନ୍ଧାରରେ ଦେଖି ନ ପାରି ପଡ଼ିଗଲା । ଏହି ରୋଗରେ କ୍ରମଶଃ ସମ୍ପୂର୍ଣ୍ଣ ଅନ୍ଧ ହୋଇ ଯିବାର ଆଶଙ୍କା ଥାଏ। ଏବଂ ତା ପୂର୍ବରୁ ଗୋଟିଏ ନଳୀ ଦେଇ ସାମନାକୁ ଦେଖିଲେ ଯେତିକି ଦୃଷ୍ଟି ଉପଲବ୍ଧି କରିହେବ, ରୋଗୀକୁ ଖାଲି ସେତିକି ଦେଖା ଯାଏ, ଯାହାକୁ କି ଡାକ୍ତରୀ ଭାଷାରେ ଟ୍ୟୁବୁଲାର ଭିଜନ୍ କୁହାଯାଏ।

ଡାକ୍ତର ସେଦିନ ଯାହା ବତେଇ ବୁଝେଇ ଥିଲେ, ସେଇ ଅବସ୍ଥାରେ ବର୍ତ୍ତମାନ ଭାଗ୍ୟଲକ୍ଷ୍ମୀର ଦିନ କଟୁଛି। ଟ୍ୟୁବୁଲାର୍ ଭିଜନ୍ ରେ ସେ ଖାଲି ସାମ୍ନାକୁ ଦେଖିଲେ କିଛିଟା ଦେଖି ପାରୁଛି,ତାହା ପୁଣି ଝାପସା ଝାପସା । ବାକ୍, ଶ୍ରବଣ ,ଦୃଷ୍ଟି ବାଧିତ ଭତ୍ତା ବାବଦରେ ତାର ଆକାଉଣ୍ଟରେ ମାସକୁ ମାସ ସରକାରଙ୍କ ତରଫରୁ କିଛି ଟଙ୍କା ଜମା ହୁଏ।

ଡାକ୍ତରଖାନାର ବିରାଟ ପରିସର ଭିତରେ ବୀରେନ୍ଦ୍ର ଅନ୍ୟମନସ୍କ ହୋଇ ଚାଲୁଛି।ମଝିରେ ଗୋଟେ ରାସ୍ତା ପଡ଼ିଛି ଯେଉଁ ବାଟେ କି ସାଧାରଣ ଲୋକ ଆତଯାତ ପାଇଁ ବ୍ୟବହାର କରନ୍ତି। ବୀରେନ୍ଦ୍ରର ନଜର ପଡ଼ିଲା ବାଆଁ କଡ଼େ ଦେବଦାରୁ ଗଛ ତଳ ଛାଇରେ ଗୋଟେ ଲୋକ ବସିଛି, ପାଖରେ ଗୋଟେ ପଞ୍ଜୁରୀ, ଭିତରେ ଗୋଟେ ଶୁଆ। ଦୁଇ ଜଣ ଲୋକ ଆଉ ଜଣେ ସ୍ତ୍ରୀ ଲୋକ ଆଗପଛ ହେଇ ଠିଆ ହେଇଛନ୍ତି। ଜଣକ ପରେ ଜଣେ ବସୁଛନ୍ତି। ଲୋକଟି ସେମାନଙ୍କ ହାତ ଦେଖୁଛି ଓ ପ୍ରତିଥର ଶୁଆଟି ପଞ୍ଜୁରୀ ଭିତରୁ ବାହାରି ଛୋଟ କାର୍ଡ ଗୋଟେ ଥଣ୍ଟରେ ଉଠେଇକି ସେ ଲୋକକୁ ଦଉଛି। ଲୋକଟି କାର୍ଡ ଦେଖି କଣ କଣ କହୁଛି। ତାପରେ ସେ ଲୋକମାନେ କିଛି ଟଙ୍କା ତାକୁ ଦଉଛନ୍ତି । ବୀରେନ୍ଦ୍ର ବୁଝି ଗଲା। ସେ ବି ଯାଇ ସେଠି ଲାଇନ ଲଗେଇଲା। ତାର ପାଳି ଆସିଲା। ଟୁକୁରୁ ଟୁକୁରୁ କରି ପିଜୁଳି ଖଣ୍ଡକୁ ଖାଉଥିବା ଶୁଆ ପିଜୁଳିକୁ ଛାଡ଼ି ଦେଇ ପଞ୍ଜୁରୀ ଭିତରୁ ଆଉଥରେ ଅଧା ବାହାରି ଆସି କାର୍ଡ ଖଣ୍ଡେ ଉଠେଇ ଥୋଇଲା, ପୁଣି ସଙ୍ଗେ ସଙ୍ଗେ ଭିତରକୁ ପଶିଗଲା।
ଲୋକଟି ବୀରେନ୍ଦ୍ରର ଡାହାଣ ହାତ ପାପୁଲିକୁ ଧରି ଦେଖୁଥାଏ, ଆଉ କାର୍ଡକୁ ଦେଖୁଥାଏ।
କହିଲା” ଆଚ୍ଛା,ଏଇ ଅଳ୍ପ ଦିନ ହେଲା ତୁମ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଆଉ ତାଙ୍କ ଅବସ୍ଥା ଭଲ ନାହିଁ”
ବୀରେନ୍ଦ୍ର କହିଲା ” ହଁ , ଆଜ୍ଞା.. ବୋଉକୁ ଗଲା ପହର ଦିନ ଠୁ ଭର୍ତ୍ତି କରିଛୁ। ତାର ଚେତା ନାହିଁ। ମୋ ବୋଉ ଭଲ ହେଇ ଯିବ ତ?”
ଲୋକଟା ଚଷମା ହଳକ ଖୋଲି ପକେଟ୍ ରେ ରଖି କହିଲା” କିଛି ବ୍ୟସ୍ତ ନାହିଁ, ଟିକେ ସମୟ ଲାଗିବ, ସପ୍ତାହେ ଖଣ୍ଡେ, ତୁମ ବୋଉ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ।”
ବୀରେନ୍ଦ୍ର କିଛି ମାତ୍ରାରେ ଆଶ୍ବସ୍ତି ଅନୁଭବ କରି ପଚାଶ ଟଙ୍କିଆ ନୋଟ୍ ଖଣ୍ଡିଏ ଲୋକକୁ ଧରେଇ ଦେଇ ଇଡିଲି ଠେଲା ଆଡ଼କୁ ମୁହେଁଇଲା। ଇଡିଲି ପ୍ଲେଟ୍ ଟେ ଖାଇସାରି ଭାବିଲା ‘ ଆରେ… ବୋଉର କିଛି ଟେଷ୍ଟ ରିପୋର୍ଟ୍ ନେବାର ଅଛି,ସେଣ୍ଟ୍ରାଲ ଲ୍ୟାବ୍ ରୁ,ଏଗାରଟା ବେଳେ ଦେବେ ବୋଲି କହିଥିଲେ,ଏବେ ଗଲା ବେଳେ ନେଇଗଲେ ହେବ। ‘ ସେଠି ଯାଇକି ରିପୋର୍ଟ ସଂଗ୍ରହ କରିବା ପାଇଁ ବି ଲାଇନରେ ଠିଆ ରହିବାକୁ ପଡ଼ିଲା। ରିପୋର୍ଟ ସବୁ ଧରି ରଜନୀ ପାଇଁ ଦଶ ଟଙ୍କିଆ ଫ୍ରୁଟି ପ୍ୟାକେଟ୍ ଟେ କିଣିକି ବେଡ୍ ପାଖକୁ ଆସି ଇଏ କଣ ଦେଖୁଛି!!!
ଦୁଇ ଜଣ ଡାକ୍ତର କାଗଜ ପତ୍ରରେ କଣ କଣ ଲେଖୁଛନ୍ତି, ଆଉ ରଜନୀ ମ୍ରିୟମାଣ ହେଇ କାନ୍ଦୁଛି। ବୀରେନ୍ଦ୍ରକୁ ବୁଝିବା ପାଇଁ କିଛି ଆଉ ବାକି ନ ଥିଲା।
ଆ……ରେ…….!! ମୋବାଇଲକୁ ଚାର୍ଜରେ ବସେଇ ଦେଇ ସେ ଚାଲି ଯାଇଥିଲା ଜଳଖିଆ ଖାଇ। ରଜନୀ ତାକୁ କଲ୍ କରିଥିବ, ଫୋନ୍ ଟା ତା ସାମ୍ନାରେ ବାଜୁଥିବ।ଅନ୍ୟନ୍ୟୋପାୟ ହୋଇ କଣ କରିଥିବ!!!! ହେ ଭଗବାନ…କେତେବେଳ ହେଇଗଲା ଏ ସବୁ! ସେ ଅସହାୟ ହୋଇ ରଜନୀର ମୁହଁକୁ ଚାହିଁ ରହିଥିଲା ନିଜର ନିର୍ବୋଧତାକୁ ଧିକ୍କାରି ଧିକ୍କାରି!

ଗାଁ ,ସାହି ଭାଇ ମାନଙ୍କୁ ବୋଉ ଚାଲି ଯିବାର ଖବର ଜଣାଇଦେଲା ବୀରେନ୍ଦ୍ର।
ମହାପ୍ରୟାଣ ଗାଡ଼ି ଗାଁ ମୁହଁ ରେ ଯାଇ ଅଟକି ରହିଲା।ଭିତରକୁ ନେଇଥିଲେ ପୁଣି ଜଗନ୍ନାଥ ମନ୍ଦିରକୁ ଗୋଲେଇ କରି ଗାଡ଼ି ଫେରିଥାନ୍ତା।ତେଣୁ ଗାଡ଼ି କୁ ଗାଁ ଭିତରକୁ ନ ନେଇ ସମସ୍ତେ ଗାଁ ମୁହଁକୁ ବାହାରି ଆସିଥିଲେ ବୀରେନ୍ଦ୍ରକୁ ହାତ ବଢ଼େଇ।
ଶେଷ ଦର୍ଶନ ପାଇଁ ବୋଉକୁ ଘର ଅଗଣାରେ ରଖା ହେଇଥିଲା।
ଭାଗ୍ୟଲକ୍ଷ୍ମୀ ପୂରା ଦେଖି ପାରୁ ନ ଥିଲା ବୋଉକୁ। ତା ଚାରି କଡ଼େ ଘୂରି ଘୂରି ମୁଣ୍ଡକୁ ବୋଉର ଦେହ ଆଡ଼କୁ ଝୁକେଇ ଝୁକେଇ ତାର ସର୍ବାଙ୍ଗ ଶରୀରକୁ ଶେଷ ଥର ପାଇଁ ତା’ ଝାପସା ଝାପସା ଦୃଷ୍ଟିରେ ଦେଖିବାକୁ ଚେଷ୍ଟା କରୁଥିଲା।

ଦାହ କର୍ମ ସାରି ବୀରେନ୍ଦ୍ର ଘରକୁ ଫେରିଲା ପରେ ସାନ ଭଉଣୀକୁ ଧରି ଖୁବ୍ ଜୋର୍ ରେ କାନ୍ଦିବାକୁ ଲାଗିଲା।ତାକୁ ପିଲାଦିନର ଦୃଶ୍ୟସବୁ ଗୋଟି ଗୋଟି ଦିଶିବାକୁ ଲାଗିଲା।
ଦଶ ବର୍ଷ ପରେ ଘରେ କୁନି ଝିଅ ପ୍ରବେଶର କୁଆଁ କୁଆଁ କାନ୍ଦରେ ସମସ୍ତେ କେତେ ଖୁସି ହେଇଥିଲେ। ଜେଜେ ତାକୁ ନାଁ ଦେଇଥିଲେ ଭାଗ୍ୟ ଲକ୍ଷ୍ମୀ । ତାପରେ କେମିତି ..ସେ କିଛି ବି ଡାକ କି ଖେଳନା ବାଜା ଶବ୍ଦ ହେଲେ ସେଆଡକୁ ଦେଖୁ ନ ଥିଲା, କେମିତି ତାକୁ ଯେତେ ଚେଷ୍ଟା କରି କି ବି ମାଁ….ବା….ପା….. ବୋ.…ଉ…. ଭା….ଇ….କୁହେଇ ହେଇ ନ ଥିଲା। ବାପା କେମିତି ତାକୁ ସ୍ପେଶାଲ ସ୍କୁଲ ହଷ୍ଟେଲ୍ କୁ ନେଇଗଲା ବେଳେ ” ତାକୁ କୁଆଡ଼େ ନିଅନି, ତାକୁ କୁଆଡ଼େ ନିଅନି, କାହିଁକି ନଉଛ , ସେ ଆମ ଘରେ
ରହିବ,ମୋ ସାଙ୍ଗରେ ସ୍କୁଲ ଯିବ ” କହି ବୀରେନ୍ଦ୍ର କାନ୍ଦି କାନ୍ଦି ଭୂଇଁରେ ଲୋଟିଥିଲା।
ଛୁଟିରେ ଘରକୁ ଆସିଲେ କେମିତି ତା ସହିତ ଖେଳୁଥିଲା,ତାକୁ ଗେଲ କରୁଥିଲା। ତାକୁ ଆଉ ଥରେ ହଷ୍ଟେଲ ନ ଛାଡ଼ିବାକୁ ଜିଦି କରୁଥିଲା।

କିନ୍ତୁ……ଏବେ.. ଅସମ୍ଭବ ଭାବେ ବୀରେନ୍ଦ୍ର ହଠାତ୍ ଏତେ ସ୍ୱାର୍ଥପର କାହିଁକି ହେଇଗଲା!! ଏମିତି ଏକ ଦୁର୍ଦାନ୍ତ ଚିନ୍ତାଧାରା ତା ମନକୁ କାହିଁକି ଆସିଲା?
କାହିଁକି ତାକୁ ଲାଗିଲା କି ” ବାପାଙ୍କ ପରେ ବୋଉ ନାଁ ରେ ଫ୍ୟାମିଲି ପେନସନ୍ ହେବାକୁ ପାଞ୍ଚ ମାସ ଲାଗିଥିଲା, ଘରେ ଚଳିବାକୁ କେତେ ଅସୁବିଧା ହେଇଥିଲା । ନା…ଆଉ ଏଥର ନୁହେଁ…ଏଥର ଯେତେ ଶୀଘ୍ର ହେବ ସେତେ ଶୀଘ୍ର ଫ୍ୟାମିଲି ପେନସନ୍ ଭାଗ୍ୟଲକ୍ଷ୍ମୀ ନାଁ ରେ ବଦଳେଇବା ପାଇଁ ଲାଗିବାକୁ ପଡ଼ିବ ….”

ହେ ପ୍ରଭୁ…କେଉଁ ଭାଗ୍ୟ ନେଇ ସେ ଏଇ ଘରେ ଲକ୍ଷ୍ମୀ ହୋଇ ଜନ୍ମ ନେଇଛି….
ବୀରେନ୍ଦ୍ର ଦୀର୍ଘଶ୍ଵାସ ନେଇ ଆଖିରୁ ଲୁହ ପୋଛିବାକୁ ଲାଗିଲା।

ପ୍ରଫେସର୍ (ଡ଼ା) ସଚଳା ଭୋଇ
ବିଭାଗୀୟ ମୁଖ୍ୟ, ଚକ୍ଷୁ ବିଭାଗ